Bajuchi Sahi Baja Re

ବାଜୁଛି ସହି ବାଜାରେ
(Gopalakrusna— Raga Asabari, Tala Ekatali)
(ଗୋପାଳକୃଷ୍ଣ— ରାଗ ଆଶାବରୀ, ତାଳ ଏକତାଳି)

ବାଜୁଛି ସହି ବାଜାରେ ତୋ ନାଁରେ ବ୍ରଜବଜାରେ । ଘୋଷା ।

ଅଟ୍ଟାଳୀରେ ତୁ ଥିବାର କାନନୁ ସେ ଆସିବାର
ଅନାଅନି ଚମତ୍କାର ଭାବନା ତୋର ତାହାର । ୧ ।

ବ୍ରଜବନ୍ଧୁ ପୀତପଟ ତୋ ନୀଳଶାଢ଼ୀ ପାଲଟ
ହୋଇବାର ବାଟ ଘାଟ ଯାକରେ ହେଲାନି ସ୍ଫୁଟ । ୨ ।

ଯାଇ ଯମୁନା ପାଣିକି ତୁ ନ ବୁଡ଼ାଇ ଘଡ଼ିକି
ନୀପରୁ ଶ୍ୟାମ ଛାଇକି ଅନାଇଁଥିଲୁ ନାହିଁକି । ୩ ।

କହୁଥିଲା ଚନ୍ଦ୍ରାବଳୀ ଶେଯେ ଶିଖଣ୍ଡମଉଳି
ହେଉଥିବାର ବାଉଳି ଜୟ ରାଧେ ରାଧେ ବୋଲି । ୪ ।

ଗୋପାଳକୃଷ୍ଣ କହଇ ଗୋପୀଙ୍କି ସବୁ ଆସଇ
ଆପଣାର ଦୋଷ ନେଇ ପରେ ଦିଅନ୍ତି ଲଗାଇ । ୫ ।