(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
କେତେ ବେଳକୁ ଶ୍ରୀ ପଦାବ୍ଜ ଦିଶିବ ଯେ
ଜୀବ ଅଳି ଯାଇ ସୁଖେ ବସିବ ଯେ । ଘୋଷା ।
ଶ୍ରୀ ଗୋବିନ୍ଦ ବକ୍ଷସ୍ଥଳ ସଂଯୋଗର ପରିମଳ
ତହୁଁ ଲଭି ଲୋଭେ ମଜ୍ଜି ରହିବ ଯେ । ୧ ।
ଗୋଷ୍ଠେନ୍ଦୁ ନୟନ ଭୃଙ୍ଗ ସଙ୍ଗତରେ କରି ରଙ୍ଗ
ସ୍ୱେଦ ମକରନ୍ଦ କ୍ଷୋଦ ପିଇବ ଯେ । ୨ ।
ସୂକ୍ଷ୍ମ ଧୂଳି ପରାଗରେ ଲୋଟିବ ଅନୁରାଗରେ
ସୁରମ୍ୟ ମଧୁର ନାଦ କରିବ ଯେ । ୩ ।
ବ୍ରଜ ନବ ଯୁବାବର ଶ୍ରୀକରେ ଚିତ୍ର କଲାର
ଯାବକ ପରିଧି ଯାକ ବୁଲିବ ଯେ । ୪ ।
ସୌଭାଗ୍ୟ ରେଖାଦି ଚିହ୍ନ ଚିହ୍ନିବ କରି ଦର୍ଶନ
ଭାବ ସୁଧା ବାରାଧିରେ ଭାସିବ ଯେ । ୫ ।
ଅଶୋକ କଳିକା ବଳି ସୁସ୍ନିଗ୍ଧ କୋମଳାଙ୍ଗୁଳି
ବିକଶିବ ବୋଲି ଆଶା ବଳିବ ଯେ । ୬ ।
ଉର୍ଦ୍ଧ୍ୱରେ କେତକୀ କାନ୍ତି ତଳେ କୋକନଦ ଦ୍ୟୁତି
ବିଲୋକ ଅତି ପ୍ରମୋଦ ମାତିବ ଯେ । ୭ ।
ସୁମନ କମ ରତ୍ନର ଭୂଷାରେ ନୂପୁରାଦିର
ପୁଷ୍ପ ଭ୍ରମେ ଉଡ଼ିତ ସ୍ପରଶିବ ଯେ । ୮ ।
ଶ୍ରୀ ରୂପମଞ୍ଜରୀ କର ଲଳିତ ମଧୁରତର
ପରମାନନ୍ଦ ଆଗାର ପାଇବ ଯେ । ୯ ।
ଗୋପାଳକୃଷ୍ଣ ଏ ଭାଗ୍ୟ ଭୋଗକୁ ହୋଇବ ଯୋଗ୍ୟ
ଶ୍ରୀ ସ୍ୱାମିନୀ ଦୟା ଦୃଷ୍ଟି ପଡ଼ିବ ଯେ । ୧୦ ।