Bihi Nari Kari Mote

ବିହି ନାରୀ କରି ମୋତେ
(GopalakrusnaEkatali)
(ଗୋପାଳକୃଷ୍ଣଏକତାଳି)

ବିହି ନାରୀ କରି ମୋତେ କାହିଁ ପାଇଁ ଗଢ଼ିଲା ରେ । ଘୋଷା ।

ବିଧୁ ନିଶି ମଧୁ କାଳ ବହଇ ଦକ୍ଷିଣାନିଳ
ଏକାକିନୀ ନାରୀ ନାଶ ଦଶା ଆସି ପଡ଼ିଲା ରେ । ୧ ।

ଏ ବୟସ ଅକାରଣ ଗଲାରେ ସଜନୀ ଜାଣ
ବନର ମାଳତୀ ପରି ବନେ ଫୁଟି ଝଡ଼ିଲା ରେ । ୨ ।

ନିତି ଦିନ ରାତି ସହି ଭାଳୁ ଗଲା କାଳ ବହି
ମନର କଥା ମନରେ ରହି ଦେହ ସଡ଼ିଲା ରେ । ୩ ।

ମୁଁ ହେଲି ପର ଆୟତ୍ତ ସ୍ୱାଧୀନ ନୋହିଲା ଚିତ୍ତ
ମଦନ ହନ୍ତକ ଖୋଜି ଅନୁବ୍ରତେ ପୀଡ଼ିଲା ରେ । ୪ ।

ଗୋପାଳକୃଷ୍ଣକୁ ବେଳେ ଦେଖିବି ବୋଇଲେ ଡୋଳେ
କୁଳ ଭୟ ଲାଜ କ୍ଷଣେ ଚିତ୍ତରୁ ନ ଛାଡ଼ିଲା ରେ । ୫ ।