Kaha Re Sangini Ke Se Nua Lalana

କହରେ ସଙ୍ଗିନୀ କେ ସେ ନୂଆ ଲଳନା
(Gopalakrusna— Raga Bihagada, Tala Ekatali)
(ଗୋପାଳକୃଷ୍ଣ— ରାଗ ବିହାଗଡ଼ା, ତାଳ ଏକତାଳି)

(ମୋତେ) କହରେ ସଙ୍ଗିନୀ କେ ସେ ନୂଆ ଲଳନା
କାନ୍ତି କୁଳ ଦେବତା କି କରି କଳନା । ଘୋଷା ।

ଦଶଦିଶ କାଞ୍ଚନାଭ ଦିଶୁଛି ଏ କି ଦୁର୍ଲ୍ଲଭ
ଦଶାର୍ଦ୍ଧଶର କରିଛି ଏ କି ରଚନା । ୧ ।

ଶୁଣ ନୂପୁର ସୁରତ ମଣିଭୂଷାର ଶିଞ୍ଜିତ
ବ୍ରଜର ଲକ୍ଷ୍ମୀ ପରାଏ ବରବରନା । ୨ ।

ପରଂଧାମର ବିଭୂତି କିବା ମୋ ନେତ୍ରସମ୍ପତ୍ତି
ମୂର୍ତ୍ତିବନ୍ତ ହୋଇ ବିଳସୁଛି କି ଅନା । ୩ ।

ବୃନ୍ଦାରଣ୍ୟ ଜନଙ୍କର କୋଟିଏ କୋଟି ଜନ୍ମର
ଭାଗ୍ୟରାଶି ପରି ହେଉଛି ମୋ ଭାବନା । ୪ ।

ଗୋପାଳକୃଷ୍ଣ ଭାଷଣ ଯେ ନୂତନ ରଣରଣ
ରହି ଅଳପ ଦିନରେ ଚିହ୍ନିବ ସିନା । ୫ ।