Jiba Para Parana Sangini

ଯିବା ପରା ପରାଣ ସଙ୍ଗିନୀ
(Gopalakrusna— Raga Mohanaa, Tala Rupaka)
(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ରୂପକ)

ଯିବା ପରା ପରାଣ ସଙ୍ଗିନୀ ଉଠିଆରେ
ଦିଶୁଥିବ ଶ୍ୟାମ ବାମ ପାଶ ପଡ଼ିଆରେ । ଘୋଷା ।

ବ୍ରଜ ହାଟ ବାଟ ହେଲାଣି ନିଛାଟ
ଜଗିଥିବେ ବ୍ରଜବିଧୁ ନିକୁଞ୍ଜ ଦୁଆରେ । ୧ ।

ପବନେ ପଲ୍ଲବ ଚଳିଲେ ମାଧବ
ପଥ ଚାହୁଁଛନ୍ତି ଧରି କେଶର ପୁଆରେ । ୨ ।

ଆଜ ହେବା ସଜ ପରାର୍ଦ୍ଧ ଚିତ୍ତଜ
ନିଉଁଛାଇ ହେବେ ହୋଇ ପଦତଳିଆରେ । ୩ ।

ଅନା ଓଷଧୀଶ ହେଲାନି ପ୍ରକାଶ
ଶୁଣୁ ନାହୁଁ ଅଛନ୍ତି କୁଞ୍ଜେ ଏକୁଟିଆରେ । ୪ ।

ଯାମ ହେଲା ଆସି ଉଠାଉଛି ବସି
ଭାଳୁ ଭାଳୁ ଡାକିବ ତ କୁକ୍କୁଟ କୁଆରେ । ୫ ।

ଆଳୀ କର ଧରି ଚାହୁଁ ଶ୍ରୀ କିଶୋରୀ
ଗୋପାଳକୃଷ୍ଣ ଭାଷେ ହେଟି ସେ ବଳିୟାରେ । ୬ ।