Rasa Sarasi Disa De Re Thare

ରସ ସରସୀ ଦିଶା ଦେ ରେ ଥରେ
(Gopalakrusna— Raga Anandabhairabi, Tala Tripata)
(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ତ୍ରିପଟା)

ରସ ସରସୀ ଦିଶା ଦେ ରେ ଥରେ । ଘୋଷା ।

ପ୍ରାଚୀର ପ୍ରାଚୀ ଅଚଳେ ଶ୍ରୀମୁଖ ଚନ୍ଦ୍ରମା
ପୂର୍ବ ପରି କରାଅ ଉଦେ ରେ । ୧ ।

କଥା ଶିଖାଇଲା ପରି ସାରୀକି ସୁଧୀରା
ଶୁଭା ହେଲେ ବଚନ ପଦେ ରେ । ୨ ।

ମାଗୁଣି ମାଗୁଛି ଏତେ ଡକାଇଲ ଛାମୁକୁ
ଲେଖା ହେଲେ ଯାବକ ପଦେରେ । ୩ ।

ଦେଖିଲା ଉତ୍ତାରୁ ତୋତେ ଯାଉ ପଛେ ପ୍ରାଣ
ଦାରୁଣ ମଦନ ବିପଦରେ । ୪ ।

କହଇ ଗୋପାଳ ପଟ୍ଟନାୟକ ଧନ
ଅନା ଆସି କରୁଣା ହୃଦରେ । ୫ ।