Galabele Mo Jiba

ଗଲାବେଳେ ମୋ ଜୀବ
(GopalakrusnaJati)
(ଗୋପାଳକୃଷ୍ଣଯତି)

ଗଲାବେଳେ ମୋ ଜୀବ ଶ୍ରୀ ରାଧେ ଦିଶା ଯିବ
ରହି ଶ୍ରୀ ଗୋଷ୍ଠାଚଳଚନ୍ଦ୍ର କୋଳରେ । ଘୋଷା ।

ଦଶନେ ଦଂଶି ତୃଣ ଜଣାଉଛି ଜଣାଣ
ଶ୍ରୀ ବୃନ୍ଦାବନେଶ୍ୱରୀ ପଦ ତଳରେ । ୧ ।

ରାସ ଅବସାନରେ ଆଉଜାଇ ହୃଦରେ
ମୋହନ ବିଞ୍ଚୁଥିବେ ପଦ ତଳରେ । ୨ ।

କୋଟି କୋଟି ଜନ୍ମର ସୁକୃତ ଫଳ ମୋର
ଦୟାମୟୀ ବଞ୍ଚାଅ କୃପା ବଳରେ । ୩ ।

ଦୀନ ହୀନ ପାମର ବୋଲି ହେଲେ ଉଦ୍ଧର
ରାସେଶ୍ୱରୀ ବିଲୋକି ନେତ୍ରାଞ୍ଚଳରେ । ୪ ।

ମୋ ମତେ ମୁଁ କିଙ୍କରୀ ହେବାକୁ ଆଶା କରି
ଚାହିଁଛି ଚିର କାଳୁ ମୁଁ ଆକୁଳରେ । ୫ ।

ପ୍ରାର୍ଥନା ବାରବାର ଏ ଗୋପାଳକୃଷ୍ଣର
କହି ହେଲେ ପ୍ରାଣେଶ ଶ୍ରୁତିମୂଳରେ । ୬ ।