Eni Ikhyani Radhe Eniki

ଏଣୀଈକ୍ଷଣୀ ରାଧେ ଏଣିକି
(Gopalakrusna— Raga Khambaja, Tala Rupaka)
(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ତାଳ ରୂପକ)

ଏଣୀଈକ୍ଷଣୀ ରାଧେ ଏଣିକି ଆରେ
ପଡ଼ିବ ଅବିର ରଜ ଶ୍ରୀମୁଖ ଲୁଆଁରେ । ଘୋଷା ।

ମନମଥ ସଜ ହୋଇଛନ୍ତି ଆଜ
ଅନା ନୂଆ ନୀଳ ଜଳଧର ଝଳିଆରେ । ୧ ।

ଫୁଲଧନୁକର ପଛେ ସୁମଶର
ଖୋସି ଚରମେ ଲୁଚାଇ ନବରଙ୍ଗିଆରେ । ୨ ।

ମୁରଲୀ ରଖି ସେ ତୁନ୍ଦ ବନ୍ଧ ବାସେ
ଅନାଉଛନ୍ତି କଟାକ୍ଷ କରି କୁଣିଆ ରେ । ୩ ।

ଫଗୁ ମୁଠା କରୁ ଫିଟିଲା ରମ୍ଭୋରୁ
ଉପର ଉପୁରାଣରେ ମଥା ଘୋଡ଼ିଆରେ । ୪ ।

ଗୋପାଳକୃଷ୍ଣ ସେ ସମୟରେ ଭାଷେ
ଆସ ରାଧେ ଆସିଲେ ସେ କୁଞ୍ଜକୁଟିଆରେ । ୫ ।