(ଗୋପାଳକୃଷ୍ଣ— ରାଗ ଗୌଡ଼ା, ତାଳ ଯତି)
ବ୍ରଜେନ୍ଦ୍ର ନନ୍ଦନ ସହି ଏକା ଶ୍ରୀ ରାଧାର । ଘୋଷା ।
ଚନ୍ଦ୍ରାବଳୀ ଆଦି କରି । ପଶୁପ ନଗରୀ ନାରୀ ।
ବୃଥା ପଛେ ପଛେ ଧାଇଁବାର । ୧ ।
ଏ ଦେହ ସେ ପରାଣଟି । ସେ ତନୁ ଏ ଜୀବନଟି ।
ବାରି ହେଉନାହିଁ ପ୍ରୀତି ଯାର । ୨ ।
ଯେଉଁ ପରି ସୁଲକ୍ଷଣ । ଯେମନ୍ତ ଶୋଭା ସୁଗୁଣ ।
ଊଣା ଅଧିକ ନାହିଁ ବାହାର । ୩ ।
ସେ ଦୁହିଙ୍କି ଏକା ବେଳେ । ଦେଖି ଦେଉଛି ଯେ ଡୋଳେ ।
ଆନ ଇଚ୍ଛା ହେଉଛି କି ତାର । ୪ ।
ଯା ମନ କୃଷ୍ଣକୁ ରସି । ଭଜିବ ରାଧାର ଦାସୀ ।
ହେଉ ଗୋପାଳକୃଷ୍ଣ ପ୍ରକାର । ୫ ।