Brajaku Chora Asichi

ବ୍ରଜକୁ ଚୋର ଆସିଛି
(Gopalakrusna— Raga Anandabhairabi, Tala Jati)
(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଯତି)

ବ୍ରଜକୁ ଚୋର ଆସିଛି ଘେନିନେବ
ଶୁଅ ତୁନି ହୋଇ ରେ
ରଙ୍କର ଧନ ମୋ ଗୋକୁଳ ଚନ୍ଦ୍ରମା
ନିଶି ପାହି ନାହିଁ ରେ । ଘୋଷା ।

ରାତି ଗୋଟାଯାକ ମାତିଲୁ ନାଟରେ
ପଲକ ନ ପକାଇ ରେ
ଗ୍ରାମ ନିଶବଦ ହେଲାନି କି ତୋତେ
ନିଦ୍ରା ଆସୁ ନାହିଁ ରେ । ୧ ।

କେ ଶିଖାଇ ଦେଲା ଡୋଳା ଢାଳିବାର
ତାଳ ଉକୁଟାଇ ରେ
ପାଦ ବଥାଇବ ପରା ଆହୁରି କି
ନାଟ ଅଣ୍ଟି ନାହିଁ ରେ । ୨ ।

ନିମଞ୍ଚନ ଯିବି କେତେ ଝାଳ ବହି
ଗଲା କ୍ଷୁଧା ପାଇ ରେ
ଆସ ଆସ ସ୍ତନ୍ୟପାନ କରାଇବି
ବାବୁ କାଖିଆଇ ରେ । ୩ ।

ପଶୁପେନ୍ଦ୍ର କୁଳ ପ୍ରଦୀପ ତୁ ଦେଖ
ଖେଳ ଛାଡ଼ି ଦେଇ ରେ
କେତେବେଳ ହେଲା ଶୟନ କଲାଣି
ବଳରାମ ଯାଇ ରେ । ୪ ।

ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା
ହୃଦରେ ଲଗାଇ ଯେ
କର୍ଣ୍ଣ ମୂଳେ ଧୀରେ ଧୀରେ କର ମାରି
ଦେଲେ ପହୁଡ଼ାଇ ଯେ । ୫ ।

ନିମ୍ବପର୍ଣ୍ଣ ହରିଦ୍ରା ଚୂର୍ଣ୍ଣ ଘଷନ୍ତି
ଅନଳେ ପକାଇ ଯେ
ଗୋପାଳକୃଷ୍ଣ କହଇ ଧୂପ ଦେଲେ
ଧନିଷ୍ଠିକା ନେଇ ଯେ । ୬ ।