Kebe Na Thiba Rusa Aja Kahinki

କେବେ ନ ଥିବା ରୁଷା ଆଜ କାହିଁକି
(Gopalakrusna— Raga Dhanasri, Tala Ekatali)
(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଏକତାଳି)

କେବେ ନ ଥିବା ରୁଷା ଆଜ କାହିଁକି
ମୋହନ ଠାରୁ ମନ ଭାଜିଗଲା କି । ଘୋଷା ।

ବରଜିବୁ ତୁ ସିନା କିପରି ସେ ତୋ ବିନା
ବଞ୍ଚିବେ ମାନସରେ ପାଞ୍ଚିଲୁନି କି । ୧ ।

ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ ମୋ ଜୀବର ଜୀବନ
କେତେ ଥର ବୋଲିଛୁ ପାଶୋରିଲୁ କି । ୨ ।

ମହାଭାବ ରୂପିଣୀ ପ୍ରେମ ଧନରେ ଜିଣି
ଅଧରୁ ସୁଧା ଯାକୁ ଦେଉଥିଲୁ କି । ୩ ।

ଆରେ ପ୍ରାଣମିତଣୀ କେ କି କହିଲେ ଶୁଣି
ଏପରି ହୁଅନା ରେ ଆଉ ଏଣିକି । ୪ ।

ଗୋପାଳକୃଷ୍ଣ ବୋଲେ ହାତ ଧରି ପହିଲେ
ଆନ ପକାଇ କୁହାଯାଇ ନାହିଁକି । ୫ ।