Sangini Re Rasa Rangini Re

ସଙ୍ଗିନୀ ରେ ରାସରଙ୍ଗିନୀ ରେ
(Gopalakrusna— Raga Khambaja, Tala Aditala)
(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ତାଳ ଆଦିତାଳ)

ସଙ୍ଗିନୀ ରେ ରାସରଙ୍ଗିନୀ ରେ
ଦୋଷ କ୍ଷମା କର ଜୀବବନ୍ଧୁ ରୁଷନା ରେ । ଘୋଷା ।

ଯା କର ତୋ ପଦ ପଙ୍କଜ କିଙ୍କର
ରଙ୍କରତନ ମୃଗାଙ୍କଲପନା ରେ
ଶଙ୍କରଶତ୍ରୁ ନିଃଶଙ୍କରେ ଦହୁଛି
ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁ କିନା ରେ । ୧ ।

ଯୋଡ଼ି ପାଣି ଜଣାଉଛି ରାମାମଣି
ଧରଣୀରେ ନଖଗାର ଲେଖନା ରେ
କିଣିଲା ଜନ ମୁଁ ତୋର ଆଜନମୁଁ
ତଳୁ ତୋଳ ଚାରୁ ବେଣୀ ଲୋଟାନା ରେ । ୨ ।

ମାନସରୁ ମାନ ସରୁ ସ୍ମର ଶରୁ
ରଖ ନୂଆ ସରୁ ନୀଳବସନା ରେ
ଜୀବଦା ପସରୁ ପୀୟୂଷ ହାସରୁ
ଲବ ପ୍ରସରୁ ଖଞ୍ଜନ ନୟନା ରେ । ୩ ।

ଗୋକୁଳ କୁଳଜା ପରିଷଦ ରାଜା
ନ କଲେ କରୁଣା ମୁଁ ଜଣା ତୋ ନାଁରେ
ରାଧେ ରାଧେ ବୋଲି ସୋରସୀ ସଲିଳରେ
ଝାସିବାର ଶୁଣୁ ସିନା ରେ । ୪ ।

ଅବନତ ହୋଇ ଧରୁ ପଦ ଦୁଇ
ରାଧା ପ୍ରସନ୍ନତା କରି କଳନା ରେ
ଗଲେ ନିଜ ନିଜ କୁଞ୍ଜେ ଆଳୀ ବ୍ରଜ
ଗୋପାଳକୃଷ୍ଣ କରେ ଭାବନା ରେ । ୫ ।