Hori Range Bihari

ହୋରି ରଙ୍ଗେ ବିହରି
(Gopalakrusna— Raga Mohanaa, Tala Tripata)
(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ତ୍ରିପଟା)

ହୋରି ରଙ୍ଗେ ବିହରି
ହରି ସଙ୍ଗେ ଶ୍ରୀ କିଶୋରୀ । ଘୋଷା ।

ପବନେ ଚଳି ଚମ୍ପକ ବଲ୍ଲୀ
ତମାଳେ ଢଳିଲା ପରି । ୧ ।

ପଶୁପୀ ବାଳା ଚପଳା ମାଳା
ଘନକୁ ଘେରିଲା ପରି । ୨ ।

ହେମାବ୍ଜ ବନ ବୟସୀ ଜନ
ମଧୁବ୍ରତ ଗିରିଧାରୀ । ୩ ।

ଫିଙ୍ଗୁ ଅବିର ବ୍ରଜସୁନ୍ଦର
କଞ୍ଚୁଲୀ ଗଳି ବାହାରି । ୪ ।

ଶ୍ରୀ ରାଧା ଫିଙ୍ଗୁ ମୋହନ ଜଗୁଁ
ବାଜି ହୃଦରେ ସଞ୍ଚରି । ୫ ।

ନଳ ଯନ୍ତର ଧରି ରତ୍ନର
ବିଞ୍ଚନ୍ତି ପନୀର ବାରି । ୬ ।

ଗୋପାଳକୃଷ୍ଣ ନୟନ ତୃଷ୍ଣ
ହୋଇଲା ସେ ଶୋଭା ସ୍ମରି । ୭ ।