Jibana Jiba Para Sumari Sumari Ma

ଜୀବନ ଯିବ ପରା ସୁମରି ସୁମରି ମା

(Gopalakrusna— Raga Khambaja, Tala Rupaka)
(ଗୋପାଳକୃଷ୍ଣ— ରାଗ ଖମ୍ବାଜ, ତାଳ ରୂପକ)

ଜୀବନ ଯିବ ପରା ସୁମରି ସୁମରି ମା
ମିଳିବେ କି ସତେ ମୋତେ ନିକୁଞ୍ଜ ବିହାରୀ ମା । ଘୋଷା ।

ଅଭ୍ରଲିହାଗ୍ନି ଦହୁଛି ଚଉଦିଗେ ଘେରି
ବଞ୍ଚିବ କେହି କୋମଳ ରଙ୍ଗଣୀ ବଲ୍ଲରୀ । ୧ ।

ପୂର୍ବ ପୁଣ୍ୟପୁଞ୍ଜ ସବୁ ଦିଶିବ ମୋହରି
ହେବି ଯଶୋଦା ବାତ୍ସଲ୍ୟ ଲକ୍ଷ୍ମୀଙ୍କ କିଙ୍କରୀ । ୨ ।

ଲଳିତ ତ୍ରିଭଙ୍ଗ ଭଙ୍ଗୀ ଆହା ବଂଶୀଧାରୀ
ଆଖିରେ ନାଚୁଛି ଶିର ଶିଖଣ୍ଡ ମାଧୁରୀ । ୩ ।

ବିନୟ ମିଶା କଟାକ୍ଷ କୁଣନ ଚାତୁରୀ
ନିଶି ଦିନ ରହିଲା ମୋ ମନେ ଘର କରି । ୪ ।

କହୁ କହୁ ଚାହୁଁ ଚାହୁଁ କାଳ ଗଲା ସରି
ମନମଥ ହୃଦୟ ପକାଉଛି ବିଦାରି । ୫ ।

ଗୋପାଳକୃଷ୍ଣ ଅଇଲା ସେ କାଳେ ବିହାରି
ପ୍ରିୟ ପ୍ରତ୍ୟନଙ୍ଗ ଲେଖ ହୃଦ ବାସେ ଧରି । ୬ ।