Bandhu Mo Na Bhanga Asa Re

ବନ୍ଧୁ ମୋ ନ ଭାଙ୍ଗ ଆଶା ରେ
(Gopalakrusna— Raga Mukhari, Tala Jati)
(ଗୋପାଳକୃଷ୍ଣ— ରାଗ ମୁଖାରୀ, ତାଳ ଯତି)

ବନ୍ଧୁ ମୋ ନ ଭାଙ୍ଗ ଆଶା ରେ
ଯୋଷାରତନ ରସାଭୂଷା ରେ । ଘୋଷା ।

ଚନ୍ଦ୍ର ଚକୋର ପରାଏ ତୋର
ପଥ ଚାହୁଁଛି ମୃଗଦୃଶା ରେ । ୧ ।

ଜନମାନ୍ତର ସୁକୃତ ମୋର
ତୋ କୃପା କଟାକ୍ଷରେ ଦିଶା ରେ । ୨ ।

ପୋତି ବଦନ ସ୍ମର କଦନ
ଅକୂଳ ନଦୀରେ ନ ଭସା ରେ । ୩ ।

ସୁଧା କଳପ କଥା ଅଳପ
କହି ନିବାର ଚିର ତୃଷା ରେ । ୪ ।

ହେଲେ ସମ୍ମୁଖ କହିବି ଦୁଃଖ
ଘେନିବୁ ଥାଇ ଏ ଭରସା ରେ । ୫ ।

ଶୁଣି ଲପିତ ଦେଲା ସଙ୍କେତ
ଗୋପାଳକୃଷ୍ଣକୁ ସୁରସା ରେ । ୬ ।