Kete Boli Mo Dukha Sahibi Re

କେତେ ବୋଲି ମୋ ଦୁଃଖ ସହିବି ରେ
(Gopalakrusna— Raga Bakulabharana, Tala Aditala)
(ଗୋପାଳକୃଷ୍ଣ— ରାଗ ବକୁଳାଭରଣ, ତାଳ ଆଦିତାଳ)

କେତେ ବୋଲି ମୋ ଦୁଃଖ ସହିବି ରେ
କା ଆଗେ ହୃଦ ଫେଡ଼ି କହିବି ରେ । ଘୋଷା ।

ଲଭି ଏତେ କଷଣ ଯାଉ ନାହିଁ ପରାଣ
କି ଉପାୟ ସଙ୍ଗିନୀ ବିହିବି ରେ । ୧ ।

ପ୍ରବେଶ ହେଲେ ରାତି ଖସିଯାଉଛି ଧୃତି
ଜାଣି ନ ଥିଲି ଏକା ରହିବି ରେ । ୨ ।

ନୁହଇ ଦାସୀ ଭଳି ଆସିବା ପାଇଁ ଆଳୀ
ଛାମୁକୁ ଲେଖ କେହି ବିହିବି ରେ । ୩ ।

ଦେହେ ପରାଣ ଥାଉ ସତେ ସଜନୀ ଆଉ
ଗୋପାଳକୃଷ୍ଣଙ୍କୁ ମୁଁ ଚାହିଁବି ରେ । ୪ ।