(ଗୋପାଳକୃଷ୍ଣ— ରାଗ ପୁନ୍ନାଗ, ତାଳ ଝମ୍ପା)
ଦୀନବନ୍ଧୁ ହେ ହରି ଜଗନ୍ନିବାସ
କାହିଁ ପାଇଁ ପ୍ରଭୋ ନିରାଶ କରୁଛ
ନୁହଇ କି ଭବେ ମୁଁ ତୁମ୍ଭ ଦାସ । ଘୋଷା ।
ନିଶ୍ଚିନ୍ତରେ ବସି ନାମ ଭଜିବାକୁ
ପାଉ ନାହିଁ ଲବେ ମୁଁ ଅବକାଶ
ଦୁଃଖ ନିବାରଣ ବାରଣ ତାରଣ
ସହାୟ ନୋହିଲେ ଗଲିଟି ଜାଣ । ୧ ।
ଶ୍ରୀପତି ଶ୍ରୀରଙ୍ଗ ଆହେ ଶ୍ୟାମଳାଙ୍ଗ
ନ ଶୁଣିବ ଯେବେ ମୋ ଦୈନ୍ୟଭାଷ
ତୁମ୍ଭ ବ୍ୟତିରେକେ ଅଛି ବା ଆଉ କେ
ଜଣାଇବି ଦୁଃଖ ମୁଁ କାହା ପାଶ । ୨ ।
ମାଗୁ ନାହିଁ ଧନ ଜନ ବଡ଼ପଣ
ମାଗୁଛି କେବଳ ଶ୍ରୀ ବ୍ରଜେ ବାସ
ସାଧୁ ସଙ୍ଗେ ଥାଇ ତବ ଗୁଣ ଗାଇ
ଅବିରତ ହେଉଥିବି ଉଲ୍ଲାସ । ୩ ।
ହେ ରାଧାରମଣ ଶରଣ ରକ୍ଷଣ
ଅକାରଣ ନୋହୁ ମୋ ଅଭିଳାଷ
ଗଲା ବେଳେ ଜୀବ ତୁଣ୍ଡ ଉଚ୍ଚାରିବ
ହା ରାଧା ଗୋବିନ୍ଦ କୁଞ୍ଜ ବିଳାସ । ୪ ।
ଷଡ଼ରିପୁଙ୍କର ଦାଉ ଭୟଙ୍କର
ଯେ ଯା ମାର୍ଗେ ଟାଣି ଦେଖାନ୍ତି ତ୍ରାସ
ଏକକୁ ଆରେକ ଦର୍ପୀ ଅତିରେକ
ଜରା ବସିଛି କରିବାକୁ ଗ୍ରାସ । ୫ ।
ଏ ସର୍ବ ବିପଦୁଁ ରଖ ଭକ୍ତବନ୍ଧୁ
ଅନ୍ତର୍ଯ୍ୟାମୀ ନାଥ ହେ ପୀତବାସ
ହଂସଜ ଢଗରେ ଆସି ମୋ ଆଗରେ
ଅନ୍ତଃକାଳେ ଗଳେ ନ ଦେବେ ପାଶ । ୬ ।
ଶ୍ରୀ ଗୁରୁ ପ୍ରଦତ୍ତ ଦେହ ପାଇ ନିତ୍ୟ
ଧାମେ ଚଳିଯିବି ସେବା ସକାଶ
ଗୋପାଳକୃଷ୍ଣର ଏ ପ୍ରାର୍ଥନା ଗିର
ବ୍ୟର୍ଥ ନୋହୁ ହର ଅନ୍ତର ପ୍ରାଶ । ୭ ।