Ke Patha Bana Kala Re

କେ ପଥ ବଣା କଲା ରେ
(Gopalakrusna— Raga Mohanaa, Tala Ekatali)
(ଗୋପାଳକୃଷ୍ଣ— ରାଗ ମୋହନା, ତାଳ ଏକତାଳି)

କେ ପଥ ବଣା କଲା ରେ ବ୍ରଜବିଧୁକୁ । ଘୋଷା ।

ସହି କେଉଁ ରମଣୀ ମୋ ପ୍ରୀତି ଚିନ୍ତାମଣି
ପାଇ ରଖି ଘେନିଲା ରେ । ୧ ।

କେତେ ସରସେ ସଜ ସାଜିଥିଲି ମୁଁ ଆଜ
ମୋ ଆଶା ଛିନ୍ନାଇଲା ରେ । ୨ ।

ମୋତେ ସ୍ମର ବହ୍ନିରେ ଜଳାଇ ସେ ଅଙ୍କରେ
ଧରି ନିଶି ବଞ୍ଚିଲା ରେ । ୩ ।

ଜଗି ଥିଲା କୋଠାରେ କି କହି ସେ ମୋ ନାଁରେ
ମାନସ ଭଙ୍ଗାଇଲା ରେ । ୪ ।

ଗୋପାଳକୃଷ୍ଣ ଭାଷେ ହେଟି ବିଜେ କଲେ ସେ
ବୋଲି ଭୂରୁ ଚାଳିଲା ରେ । ୫ ।