(ଗୋପାଳକୃଷ୍ଣ— ରାଗ କାମୋଦୀ, ତାଳ ଆଦିତାଳ)
ଅକାରଣେ ଦୁଃଖୀରେ ଆଜନ୍ମସୁଖୀ । ଘୋଷା ।
ନନ୍ଦନନ୍ଦନ ମନ୍ଦ ନ ଜାଣୁ ତୁ ତା ଛନ୍ଦ
ଫାନ୍ଦରେ ପକାଇ ତୋ ମହତ୍ତ୍ୱକୁ
ନେବ ବୋଲନ୍ତେ କ୍ଷାମଉଦରୀ ହେଲୁ ତମ
ଛଳି ଶ୍ୟାମ ପ୍ରେମରେ ମୋ ପରକୁ । ୧ ।
ମତ୍ସର ହୀନ ଯାର ସେ ଭଜିବ ସେ ଜାର
ଇତର କଲେ ତାର ନାହିଁ ଗତି
ବୋଲି ବହନ୍ତେ ତୋତେ ନ ଘେନିଲୁ କିଞ୍ଚିତେ
ପ୍ରତେ ହେଲା କି ଏବେ ଏ ସଙ୍ଗତି । ୨ ।
ଗୁରୁଜନ ତର୍ଜ୍ଜନା ଜରତୀର ଭର୍ତ୍ସନା
ଯାହା ଲାଗି ଶୋଚନା ନ ଘେନିଲୁ
ସେ କି ଜାଣିଲା ତାହା ଆହା ଶିରୀଷଦେହା
ମୁଁ ଆଉ କଷ୍ଟ ଦେହ ସୁହାଇଲୁ । ୩ ।
ଏହି ଲାଗି ବିନତି ପ୍ରିୟ ହେଲେ ଆରତି
ଧରି ନ ପାରୁ ଧୃତି ଦୟାବତୀ
ନୋହିଲେ ଇଷିତରେ ଶିଖିପିଚ୍ଛ କୂଳରେ
ଲୋଟିବାର ଦେଖନ୍ତେ ସଖୀତତି । ୪ ।
ଲଳିତା ହିତ ବାଣୀ ବୃଷଭାନୁଜା ମଣି
ଲଭୁ ଧୈର୍ଯ୍ୟ ସେକ୍ଷଣି ମାନସରେ
ଜାଣି ହୋଇଲା ତୃଷ୍ଣ କବି ଗୋପାଳକୃଷ୍ଣ
କୃଷ୍ଣ ଅଇଲେ ସେହି ଅବସରେ । ୫ ।