(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ଏ ଘନ ଦିନ ଏକା ନେବେ କି କରି
ପାମର ଦଇବ କଲା ଆହା ଏତେ ସରି ସହି । ଘୋଷା ।
ଶୁଣି ଭେକ କେକୀ ନାଦ ପରମାଦରୁ ପ୍ରମାଦ
କି ହେଉଥିବ ସେ ହୃଦ ଶୁଣ ସହଚରୀ ସହି । ୧ ।
ଝଟକେ ଅନା ବିଦ୍ୟୁତ ମତ୍ତେ ଅଳି କରେ ରୁତ
ବହେ ମାଳତୀ ମରୁତ ଡାକୁଛି ଝିଙ୍କାରୀ ସହି । ୨ ।
ଯିବାକୁ ମାଗୁ ମେଲାଣି ମୋତେ ମୋର ଗୁଣମଣି
ନିଷେଧିଲି ପୁଣ ପୁଣି କରେ କର ଧରି ସହି । ୩ ।
ରଖି ନୟନର ନୀର ଲେଉଟି ବିଲୋକିବାର
ଫାଟି ଯାଉନାହିଁ ଉର ସେ ରୂପ ସୁମରି ସହି । ୪ ।
ଗୋପାଳକୃଷ୍ଣଙ୍କୁ ମୋର ପ୍ରବାସ କଷ୍ଟ ଶଙ୍କର
ଏହି ବାରକ ଉଦ୍ଧର କହୁଛି ଜୁହାରି ସହି । ୫ ।