(ଗୋପାଳକୃଷ୍ଣ— ରାଗ ଶୁଦ୍ଧଦେଶୀ, ତାଳ ଝମ୍ପା)
ମନେ ପଡ଼ୁଛି ରେ ସେହି ଚନ୍ଦ୍ରମୁଖ
ପାଶୋରିବା ପାଇଁ କେତେ ହେଲି ମୁଁ ବିମୁଖ । ଘୋଷା ।
ନିଟିଳ ଅଳକାବଳୀ ଗଣ୍ଡ ମଣ୍ଡଳର ଝଳି
ନାସା ପୁଟର ଦ୍ୱିରଜ ମୁକୁତା ମୟୂଖ । ୧ ।
ଚାରୁ ଗୋରଚନା ଚିତା ନର୍ତ୍ତନରତ ଭ୍ରୂଲତା
ମନ୍ଦେ ହସି ଫିଙ୍ଗିବାର କଟାକ୍ଷ ବିଶିଖ । ୨ ।
ଶୋଭା ରତ୍ନ କୁଣ୍ଡଳର ବଂଶୀ ବିନ୍ୟାସ ଅଧର
ନୂଆ ବରହ ମୁକୁଟ ଦରଶନ ସୁଖ । ୩ ।
ଭାଙ୍ଗି ଦେଉଥିଲି ପାନ ବୋଲି ଦେଖିଲି ସ୍ୱପନ
ସରିଲା ଉତ୍ତାରୁ ପୁଣି ମନମଥ ମଖ । ୪ ।
ଯାଅ ବୋଇଲା ଉତ୍ତାରୁ ଲୁହ ବୁହାଇ ଆଖିରୁ
ହୋଇବାର ସଖୀମାନଙ୍କର ପାଖ ପାଖ । ୫ ।
ଶୁଣ ସର୍ବେ ସହଚରୀ କରି କରୁଣା ମଞ୍ଜରୀ
ଅପରାଧିନୀ ରାଧାର ଯିବା ଜୀବ ରଖ । ୬ ।
ଗୋପାଳକୃଷ୍ଣ ଭାଷଣ ଉଠି ସମସ୍ତେ ତକ୍ଷଣ
ମିଳିଲେ କୁଞ୍ଜେ ରମଣ ଲେଖୁଥିଲେ ରଖ । ୭ ।