Janagala Kahinki Parimana

ଜଣାଗଲା କାହିଁକି ପରିମାଣ
(Gopalakrusna— Raga Anandabhairabi, Tala Adatali)
(ଗୋପାଳକୃଷ୍ଣ— ରାଗ ଆନନ୍ଦଭୈରବୀ, ତାଳ ଆଡ଼ତାଳି)

ଜଣାଗଲା କାହିଁକି ପରିମାଣ
କରର ଚୂଡ଼ିକି ଲୋଡ଼ା କେଣେ ଦରପଣ । ଘୋଷା ।

ଲଲାଟେ ସିନ୍ଦୂର ଚିହ୍ନ ହୋଇଛି ବିଭ୍ରାଣ
ଡେରିଲା ପରି ମଦନ ଶୋଣିତ କୃପାଣ । ୧ ।

ଅଧର ଅଞ୍ଜନ ଦାଗ ଦହୁଛି ପରାଣ
ଚନ୍ଦ୍ରାବଳୀ କ୍ରୋଡ଼ କୁରଙ୍ଗ କର ପ୍ରୟାଣ । ୨ ।

ଘଷିଛି ତା ତନୁ ହେମ କଷଟି ପାଷାଣ
ଗଣ୍ଡେ ଧରି ଦେଖି ଯା ଦର୍ପଣ ଯୁବରାଣ । ୩ ।

ଶାଖୋଟ କୁଞ୍ଜ ଗୃହିଣୀ ବିଟ ନ ବଖାଣ
ବକୀବଧ କଥା କି ବହୁଦିନ ପୁରାଣ । ୪ ।

ବିବେକପଣେ ବାରଣ ପରାଏ ସୁଜାଣ
ସରସପଣରେ ବୃଦ୍ଧ ଗଡ୍‌ଡର ବିଷାଣ । ୫ ।

ଭାଷେ ଗୋପାଳକୃଷ୍ଣ ଦେଉଥିଲେ ତ ରାଣ
ହାତ ଯୋଡ଼ି ବୋଲେ ଏବେ କର ପରିତ୍ରାଣ । ୬ ।