(ଗୋପାଳକୃଷ୍ଣ— ରାଗ ଝିଞ୍ଜୋଟି, ତାଳ ରୂପକ)
ରସ ମାନସ ରାଧିକେଶ ଯାର ରସ କଥାରେ
ସେବିତ ଶୁକ ସନକ ଶେଷ ଅନିଶ ନତ ମଥାରେ । ଘୋଷା ।
ଭ୍ରମନା ଭବ ଭୋଗ ଲୋଭରେ ଲଭି ଧନ ପ୍ରମଦାରେ
ଭବ ସରସିଜଭବ ଦୁର୍ଲ୍ଲଭ ପ୍ରେମ ଭକ୍ତିଦାରେ । ୧ ।
ବିଶ୍ୱ ସରଣୀ ଭ୍ରମଣ ତାପ ହାରିଣୀ ବସୁଧାରେ
ସାର୍ବତ୍ରିକ ବହୁଛି ନୁହଇ ସୁରଧୁନୀ ପରିଧାରେ । ୨ ।
ନୀରଜବନ୍ଧୁ ନନ୍ଦିନୀ ତୀର ନିକୁଞ୍ଜ ବନ ଅଗାରେ
କେଶୀମଥନ କେଳିଚରିତ କେବଳ ତୁହି ଗାରେ । ୩ ।
ମୋକ୍ଷପଦକୁ ଲକ୍ଷ୍ୟ ନ କରି ରହିଛୁ ଯା ଅଲଗାରେ
ରାସେଶ୍ୱରୀଙ୍କ କିଙ୍କରୀ ହୋଇ ଘର କର ବ୍ରଜ ଗାଁରେ । ୪ ।
ଗୋପାଳକୃଷ୍ଣ କହଇ ସତୃଷ୍ଣ ହୋଇ ସୁମନୀଷାରେ
ଦୋଷରହିତ ଘୋଷ ଚରିତ ଘୋଷ ଦିନ ନିଶାରେ । ୫ ।