(ଗୋପାଳକୃଷ୍ଣ— ରାଗ କୁସୁମ କେଦାର, ତାଳ ସରିମାନ)
ଶ୍ୟାମ ସରି ରାଧା ସୁଧାକର ମୁହୀଁ କି
ପାଞ୍ଚିଲେ ଘଟଣା ପତି ନାରୀ ସୁନ୍ଦରପଣ କି । ଘୋଷା ।
ଦିନେ ଦୂର ଦୂରରେ ବ୍ରଜରାଜ ପୁରରେ
ବିଲୋକି ମୁଁ ଅନୁମାନିଥିଲି ଦୁହିଙ୍କି । ୧ ।
ଭାଳିବଟି ଚିତ୍ତରେ ତାରତମ୍ୟ ଉଚ୍ଚରେ
ଏ ତା ଶ୍ରୁତିତଟ ସରି ହେବ ନାହିଁ କି । ୨ ।
ନ ଦେନ୍ତେ କି କୀର୍ତ୍ତିଦା ମାଗିଥିଲେ ଯଶୋଦା
ଏବେ ଦେଖି ପୁଣି ନିନ୍ଦୁଛନ୍ତି ବିହିକି । ୩ ।
ଯମୁନା କୂଳରେ ସୁନା କଞ୍ଜ ପରି ଭାବନା
ଦିଶୁଥାନ୍ତା ଜନେ ମୂରୁଛନ୍ତେ ଚାହିଁ କି । ୪ ।
ଗୋପାଳକୃଷ୍ଣ ଭାଷେ ରାଧା ଲାଜ ହରଷେ
ହସି ହସି ଛଳେ ଚଳି ହେଲେ ଆଳୀକି । ୫ ।