Ahe Deba Gananayaka

ଆହେ ଦେବ ଗଣନାୟକ
(Harihara Rayaguru— Raga Natanarayana, Tala Ekatali)
(ହରିହର ରାୟଗୁରୁ— ରାଗ ନଟନାରାୟଣ, ତାଳ ଏକତାଳି)

ଗଣନାୟକ ଗଉରୀନନ୍ଦନ
ଆହେ ଦେବ । ଘୋଷା ।

ଈଶ୍ୱରକୁମର ଆହେ ବିଦ୍ୟାବର
ମୋ କଣ୍ଠରେ ବିଜେ କର ହେ
ଧୂମକେତୁ ଗଣାଧିପ ଗଣେଶ୍ୱର
ଗଣପତି ଭାଲଚନ୍ଦ୍ର ହେ । ୧ ।

ରକ୍ତବର୍ଣ୍ଣ ପଞ୍ଚଶିର ପନ୍ଦରନେତ୍ର
ଦଶ କରେ ଆୟୁଧମାନ ହେ
ଶିବାଳୟବାସୀ ପରମସନ୍ନ୍ୟାସୀ
ଇନ୍ଦୂର ତୁମ୍ଭର ଯାନ ହେ । ୨ ।

ଏକଦନ୍ତ ମହାକାୟ ଗଜାନନ
ଭକ୍ତପ୍ରିୟ ଯମଐରି ହେ
ବିକଟ ଲମ୍ବଉଦର ଶଂକୁବର୍ଣ୍ଣ
ରକ୍ତାମ୍ବର ଭବଭକ୍ତ ହେ । ୩ ।

ଅଯୋନିସମ୍ଭୂତ ସୁରାସୁରବନ୍ଦିତ
ସନକ ଆଦି ସମସ୍ତ ହେ
ଭଣେ ହରିହର ରାୟଗୁରୁ ତୁମ୍ଭ
ଚରଣେ କୋଟି ପ୍ରଣାମ ହେ । ୪ ।