Balau Ratilila Bilasa Manjula

ବଳାଉ ରତିଲୀଳା ବିଳାସମଞ୍ଜୁଳା
(Padana— Raga Malabagouda, Tala Ekatali)
(ପଦନ— ରାଗ ମାଳବଗୌଡ଼ା, ତାଳ ଏକତାଳି)

ବଳାଉ ରତିଲୀଳା ବିଳାସମଞ୍ଜୁଳା
କଳାକଜ୍ଜ୍ୱଳକୁନ୍ତଳା ରେ । ଘୋଷା ।

ଏଣିକି କଳାଡୋଳାକୁ ଚଳା
ତନୁଚଞ୍ଚଳାକୁ ଖେଳା ରେ । ୧ ।

ସୁରସେ ଭୋଳା ହୋଇଣ ବାଳା
କନ୍ଦର୍ପ ଦର୍ପକୁ ଦଳା ରେ । ୨ ।

ମୋ ଦେହ ବଳାହକ ଚପଳା
ନ ନାଶ ଦାସ ବତ୍ସଳା ରେ । ୩ ।

ମହୀମହିଳା ଚମ୍ପକମାଳା
ହେବ ଯେ କୋଳେ ସୁଶୀଳା ରେ । ୪ ।

ଗଳାକୁ ଗଳା ମିଳାଇ ବାଳା
ପଦନ କହେ ଗରଳା ରେ । ୫ ।