(ବନମାଳୀ— ରାଗ ଜୟଶ୍ରୀ, ତାଳ ଏକତାଳି)
ଶ୍ୟାମକୁ ନୁହେଁ ପାସୋରି
ଶ୍ୟାମ ନାଚିଲା ମୋର ନୟନେ ଦିବା ଶର୍ବରୀ
(ପଡ଼ି)
ପ୍ରୟାଗରେ ଯେଉଁ ଜନ କରିଥିବଟି ମଜ୍ଜନ
ସେ ସିନା ତା ପରିଜନ ହେବାକୁ ହେବ ଭାଜନ । ଘୋଷା ।
ଗୋକୁଳ ନରେନ୍ଦ୍ର ସୂନୁ ସୁଷମା ନ ଗଲା ମନୁ
କି ଅବା ଧରିଛି ତନୁ ଫୁଲଧନୁ
(ପଡ଼ି)
ନାଗରରାଜ ବଦନ ଚାନ୍ଦ ଆନନ୍ଦସଦନ
ବାରେ ଯେ ଦେଖିଛି ଧନ୍ୟ
ସେହି ତ ତାଙ୍କୁ ଚାହିଁ ତ ପଛେ ଯେହି ତ
ହସନ୍ତୁ ଚିନ୍ତା ନାହିଁ ତ । ୧ ।
ଯାଉଥିଲି ଯମୁନାକୁ କଦମ୍ବ ମୂଳରେ ତାଙ୍କୁ
ଚାହିଁଦେଲି ଅଳ୍ପନାକୁ ଚେତନାକୁ
(ପଡ଼ି)
ହଜାଇ ଅଇଲି ସହି ମଦନେ ହେଉଛି ଦହି
କେହି ଆଉ ନ ଦିଶଇ
ତା ବିନା ମୁଁ ତ ନବୀନା କୁଳଲଳନା
ସହିହେବ କି ମାର ବେଦନା । ୨ ।
ଏଡ଼ିକି କରି କହୁଛି ଶିବଙ୍କୁ ସେବା ମୂରୁଛି
ଧାଇଁବେ ସ୍ୱର୍ଗରୁ ଶଚୀ ଇନ୍ଦ୍ରେ ମୂର୍ଚ୍ଛି
(ପଡ଼ି)
ମୋ ଧଇର୍ଯ୍ୟ କେଡ଼େ କହ ଅନାଇଁ ହୋଇଲି ମୋହ
କେମନ୍ତେ ଧରିବି ଦେହ
ଏଣିକି ବେନୁପାଣିକି ଚିତ୍ତ ଜାଣିକି
ମୋତେ କେ ଦେବ ଆଣିକି । ୩ ।
ଧଇର୍ଯ୍ୟ ନାଶିଲେ ଶ୍ୟାମ ନାଶିଲେ କୁଳଧରମ
କଲି ମୁଁ କେଡ଼େ କରମ ହେଲି ଭ୍ରମ
(ପଡ଼ି)
ବୋଧି ବନମାଳୀ କହେ ମୋହନକୁ ଯେହୁ ଧ୍ୟାୟେ
ଦାରୁଣ ଦଶାକୁ ଦେହେ
ମଣ୍ଡଇ ରିପୁ ଖଣ୍ଡଇ ସ୍ମର ଦଣ୍ଡଇ
ନିଶ୍ଚେ ତାପକୁ ମଣ୍ଡଇ । ୪ ।