(ବନମାଳୀ— ରାଗ କଲ୍ୟାଣ, ତାଳ ତ୍ରିପଟା)
ଚାହିଁଦେଲି କିଞ୍ଚିତରେ ବାରେ
ସେ ଶ୍ୟାମନାଗରଙ୍କୁ ଗୋ । ଘୋଷା ।
କି ବୁଦ୍ଧି କରିବି କହରେ ସଙ୍ଗାତ
ନଣନ୍ଦ ଭର୍ତ୍ସନା କରଇ ଯେତେକ
ବିରହୀ ପରାୟେ ଦହୁଛି ମୋ ଚିତ୍ତ
ତା ନେତ୍ର କାଠି ଅଠାରେ । ୧ ।
ବୁଡ଼ଗଲି ସଖୀ ଆନନ୍ଦ ସାଗରେ
ଅପବାଦକୁ ନ ରଖିଲି ମନରେ
ଗୁରୁ ଗୁରୁଜନ ଲାଜ ଦର କରି
ମଜ୍ଜିଲି ପ୍ରୀତି ଅଠାରେ । ୨ ।
ନନ୍ଦନନ୍ଦନ ସଙ୍ଗେ ଯେଉଁ ପୀରତି
ଦେଖି ଶୁଣି ଦେହ ହୁଅଇ କରତି
ପାଉଅଛି ବ୍ରଜଜନେ ଅପଖ୍ୟାତି
ଲେଖାଇ ତମ୍ବାପଟାରେ । ୩ ।
ବୋଲେ ଶ୍ରୀଚରଣ ଦାସ ଏହି ରସ
ଯାହାର ସନ୍ତତ ବ୍ରଜରେ ନିବାସ
ଶ୍ରୀ କୃଷ୍ଣ ଚରଣେ ଯାର ନିତି ଆଶ
ସେ ଲୀନ ହୁଏ ସେଠାରେ । ୪ ।