Jhulanti Range Rai Sange Syamasundara

ଝୁଲନ୍ତି ରଙ୍ଗେ ରାଈ ସଙ୍ଗେ ଶ୍ୟାମସୁନ୍ଦର
(BanamaliRupaka)
(ବନମାଳୀରୂପକ)

ଝୁଲନ୍ତି ରଙ୍ଗେ ରାଈ ସଙ୍ଗେ ଶ୍ୟାମସୁନ୍ଦର
ରାଗରେ ଅନୁରାଗେ କରନ୍ତି
ବଂଶୀ ହୁନ୍ଦର । ଘୋଷା ।

ଝଳି ମରକତ ନୀଳେନ୍ଦ୍ରମଣି
ଲାବଣ୍ୟ ପ୍ରତିମା ତ୍ରିଭଙ୍ଗୀ ଠାଣି
ମୃଦୁ ମୃଦୁ ହାସ ନୟନ ବିଳାସ
କେଡ଼େ ମଧୁର । ୧ ।

ମାଳତୀ କୁସୁମେ ରଚିତ ଦୋଳି
ଝୁଲାଇ ଦିଅନ୍ତି ବରଜବାଳୀ
ଗାଇ ଗୀତମାନ କରନ୍ତି ନର୍ତ୍ତନ
ବାଇ ନୂପୁର । ୨ ।

କେ ବଜାଏ ବୀଣା ଅବା କାହାଳୀ
କେ ବାଏ ମର୍ଦ୍ଦଳ ଉକୁଟ ଚାଳି
କେବଣ ସୁଧୀରା ବଜାଏ ମନ୍ଦିରା
ପ୍ରେମେ ଆତୁର । ୩ ।

ଟପ ଟପ ଝପ ଝପ ବରଷା
ଶୀତଳ ପବନ ଚନ୍ଦ୍ରମା ନିଶା
ପାରା ଶୁକ ଶାରୀ ମୟୂର ମୟୂରୀ
ଆନନ୍ଦେ ଭୋର । ୪ ।

ଝୁଲଣ ଉଚ୍ଛବ କୁଞ୍ଜସଦନେ
ଦେଖି ସୁଖୀ ହୋଇ ଅମରୀମାନେ
ବୋଲେ ବନମାଳୀ ଦେଲେ ପୁଷ୍ପାଞ୍ଜଳି
ରହି ଶୂନ୍ୟର । ୫ ।