To Lagi Gopadanda Mana Re Kalia Suna

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
(Banamali— Raga Mohana Kedara, Tala Rupaka)
(ବନମାଳୀ— ରାଗ ମୋହନ କେଦାର, ତାଳ ରୂପକ)

ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନା । ଘୋଷା ।

ନିତି ଏହି ବାଟେ ଯାଉ ରେ କାଳିଆ
ନିତି ଏହି ବାଟେ ଯାଉ
ଘାଟର କଉଡ଼ି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ ରେ । ୧ ।

ତୁହି ଗୋପପୁରେ ରଜା ରେ କାଳିଆ
ତୁହି ଗୋପପୁରେ ରଜା
କେମନ୍ତ ସଜରେ ମୁରଲୀ ବଜାଉ
ଆଉରି ଟିକିଏ ବଜା ରେ । ୨ ।

ତୁହି ବଡ଼ଘର ପୁଅରେ କାଳିଆ
ମୁହିଁ ବଡ଼ଘର ବୋହୂ
ଶରମ ତୋ ମୁଖେ ନାହିଁ ରେ କାଳିଆ
ମରମ କଥା ତୁ କହୁ ରେ । ୩ ।

ତୁହି ଅଟୁ ନନ୍ଦଚାଟ ରେ କାଳିଆ
ତୁହି ଅଟୁ ନନ୍ଦଚାଟ
ମଥୁରା ହାଟକୁ ଦଧି ବିକି ଗଲେ
ନିତି ମାଗୁଥାଉ ଘାଟ ରେ । ୪ ।

କହଇ ବଲ୍ଲଭାନନ୍ଦ ଏ ରସରେ
ଶୁଣ ଆଗୋ ସଖୀବୃନ୍ଦ
ଯମୁନା କୂଳରେ ମୁରଲୀ ବଜାଏ
ତୁମ୍ଭ ଘେନି କୃଷ୍ଣଚନ୍ଦ୍ର ରେ । ୫ ।