Daruna Netrantaku Mu Enu Daruthai

ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ
(Banamali— Raga Kalyana, Tala Ekatali)
(ବନମାଳୀ— ରାଗ କଲ୍ୟାଣ, ତାଳ ଏକତାଳି)

ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ । ଘୋଷା ।

ଯହିଁକି କରଇ ମନା । ତହିଁକି କରି କାମନା ।
ଅଗମ୍ୟ ପଥକୁ ଗମୁଥାଇ । ୧ ।

ଦେବତା ଦୁର୍ଲ୍ଲଭ ଚିଜେ । ଏ ପାପମନ ନ ବୁଝେ ।
ଆଶା କରି ଲୋଭେ ମରୁଥାଇ । ୨ ।

ପଡ଼ିଲେ ବୁଡ଼ି ରହଇ । ଲୋଡ଼ିଲେ ମିଳଇ ନାହିଁ ।
କାନ ସେହୁ ରସେ ରସିଥାଇ । ୩ ।

ମୃଗମଦ ନୀଳୋତ୍ପଳ । ତା ଶ୍ରୀଅଙ୍ଗ ପରିମଳ ।
ନାସା ମୋର ଆଶା କରୁଥାଇ । ୪ ।

ତାର ଚର୍ବିତ ତାମ୍ବୂଳ । ଅଧ ଅଧରୁ କେବଳ ।
ଚାଖିବାକୁ ଜିହ୍ୱା ଝୁରୁଥାଇ । ୫ ।

ବନମାଳୀ ବୋଲେ ମନ । ହେବାରୁ ତାର ଅଧୀନ ।
ଜୀଇବା ଭରସା ଦିଶୁ ନାହିଁ । ୬ ।