(ବନମାଳୀ— ରାଗ ଭୈରବୀ, ତାଳ ଖେମଟା)
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
ବେଳୁଁ ବେଳ ଦୁଃଖ ପ୍ରବଳ ହେଉଛି
ବିଜୁଳି ଯେସନେ ଘନେ । ଘୋଷା ।
ଅନାଥର ନାଥ ନୀଳଗିରିନାଥ
ଜଗନ୍ନାଥ ଲକ୍ଷ୍ମୀସାଇଁ
ଅରକ୍ଷିତକୁ ତ ରଖି ଦେଉନାହଁ
ଭବଜଳରେ ଭସାଇ । ୧ ।
ଆହେ ହରି ମୁହିଁ ସହି ତ ନ ପାରି
ଅନ୍ତର ବେଦନାମାନ
ଯେଣୁ କରି ତୁମ୍ଭେ ଦୟା ନ କଲ ହେ
ପ୍ରଭୁ ଆତଙ୍ଗନାଶନ । ୨ ।
ଏଡ଼େ ନିଷ୍ଠୁର ତ ହେଲ ମୋହ ଭଳି
ଦୁଃଖୀଜନ ହୀନ ଠାରେ
ଦୀନଜନମାନେ ଗୁହାରି କରନ୍ତି
ନ ଶୁଣ କି ତୁମ୍ଭେ ବାରେ । ୩ ।
ପୋଡ଼ୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ
ଏଡ଼େ ବଡ଼ ପ୍ରଭୁ ଥାଉଁ
ବନମାଳୀ ବୋଲେ ଚଞ୍ଚଳ ଚିତ୍ତ ମୋ
ପଦ୍ମପାଦେ ତୁମ୍ଭ ରହୁ । ୪ ।