(ବନମାଳୀ— ରାଗ କଲ୍ୟାଣ, ତାଳ ରୂପକ)
ନ ତେଜିବି ମୁରଲୀଧରା
ବାଜୁ ପଛେ ଅପବାଦ ନାଗରା । ଘୋଷା ।
ବାନ୍ଧବୀ ମୋ ଚରିତ ଗାଇ
ହସନ୍ତୁ ବା ତାଳି ବଜାଇ
ଯେ କହିବ ସିନା ମନ ଭଙ୍ଗାଇ
କିଏ ଦେବ ଶ୍ୟାମ ପ୍ରୀତି ଲଗାଇ । ୧ ।
ନୟନ ମୋ ପ୍ରେମ ଇଙ୍ଗିତ
ଭଙ୍ଗୀ ସଙ୍ଗୀ ହେବାରୁ ମିତ
ଅବିହିତକୁ ମୁଁ ମଣେ ବିହିତ
କି କରିବେ ପରଲୋକ କହି ତ । ୨ ।
ଗୁରୁ ଗୁରୁଜନ ଗଞ୍ଜଣା
ଦେଲେ ଦେବେ ପଛକେ ସିନା
ଏକା ଶ୍ୟାମବନ୍ଧୁ ସଙ୍ଗ କାମନା
ହେଲେ ହେବି ଜାତି ପାଟକେ ମନା । ୩ ।
ବନମାଳୀ କହେ ଏ ଗିର
ମୋହନ ମୋ ହୃଦୟ ହାର
ଏ ପରାଣ ମନ କିଣା ଯାହାର
ତା ସ୍ନେହରୁ କି ମୁଁ ହେବି ବାହାର । ୪ ।