Ehi Kathare Mo Mana Mahabahu

ଏହି କଥାରେ ମୋ ମନ ମହାବାହୁ
(Banamali— Raga Gouda, Tala Tripata)
(ବନମାଳୀ— ରାଗ ଗୌଡ଼ା, ତାଳ ତ୍ରିପଟା)

ଏହି କଥାରେ ମୋ ମନ ମହାବାହୁ
ନିତି ଦେଖୁଥିବି ନୀଳାଦ୍ରି ମଣ୍ଡପେ
କଞ୍ଜସୁନ୍ଦର ବଦନ ହେ । ଘୋଷା ।

ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି
ବକଳ କରି ବସନ
ଶଚୀପତି ପଦ ତୁଚ୍ଛ ମଣୁଥିବି
ଥିଲେ ତୁମ୍ଭ ସନ୍ନିଧାନ । ୧ ।

ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ର ମୁଖ
ଚନ୍ଦନଲାଗି ବେଳକୁ
ଧୀରେ ଚାହୁଁଥିବି ବିପୁଳ ଭୁଜକୁ
ସୁଭଦ୍ରା କାମପାଳଙ୍କୁ । ୨ ।

ଅବକାଶମାନଙ୍କରେ ମୋ ଲାଳସ
ହୋଇଥିବ ଅହର୍ନିଶ
ତେତେବେଳେ ଡୋଳେ ହେଳେ ନ ଦେଖିବି
ବ୍ରହ୍ମା ରୁଦ୍ର ଦିନଈଶ । ୩ ।

ତିନି ବଦନଚନ୍ଦ୍ରକୁ ଚାହିଁ ମୁହିଁ
ତାପତ୍ରୟକୁ ନାଶିବି
ବୋଲେ ବନମାଳୀ ଜନ୍ତୁପତି ଭୟ
ଲୋକକୁ ଚାହିଁ ହସିବି । ୪ ।