(ବନମାଳୀ— ରାଗ କୀରବାଣୀ, ତାଳ ଯତି)
ମୋହନେ ଦେଲି ଚାହିଁ ଗୋ
ଆଗୋ ପ୍ରିୟସହୀ । ଘୋଷା ।
କଦମ୍ବ ମୂଳରେ ରହି । କି ରଙ୍ଗେ ମୁରଲୀ ବାଇ ।
ମାନସେ ମୋର ନାଚଇ ଆନ ସାହା ନାହିଁ ଗୋ । ୧ ।
ଧନ୍ୟ ତା କଟାକ୍ଷ ଆଖି । ମୋ ମାନସେ ଗଲା ଲାଖି ।
ନ ପାରିଲି ସଖୀ ଦେଖି ସେ ଶ୍ୟାମକୁ ମୁହିଁ ଗୋ । ୨ ।
ବଦନେ କି ଅଛି ତାର । ସଦନେ ହୋଇ କାତର ।
ମଦନେ ହୋଇ ଆତୁର ସବୁ ପାଶୋରାଇ ଗୋ । ୩ ।
କହଇ ସେ ବନମାଳୀ । ଏ ରସରେ ଭାଳି ଭାଳି ।
ନ ଦେଖିଲି ଶ୍ୟାମ ଝଳି ତା ପାଶରେ ରହି ଗୋ । ୪ ।