Sangini Re Chahan Benupaniki

ସଙ୍ଗିନୀ ରେ ଚାହାଁ ବେଣୁପାଣିକି
(Banamali— Raga Kalabati, Tala Jati)
(ବନମାଳୀ— ରାଗ କଳାବତୀ, ତାଳ ଯତି)

ସଙ୍ଗିନୀ ରେ ଚାହାଁ ବେଣୁପାଣିକି
ଚିତ୍ତବିତ୍ତ ଚୋରା ଚିନ୍ତାମଣିକି । ଘୋଷା ।

ବକୁଳ ସେବତୀ ମଲ୍ଲୀ ନିଆଳୀ କିଆ
ନାନା କୁସୁମେ କି ଶୋଭା ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ । ୧ ।

ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର ଜୟକୁଠାର
ଭୂରୁ ବାଙ୍କଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି । ୨ ।

ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି । ୩ ।

ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ଏ ବରଜେ ଟିକି । ୪ ।