Sakhi Go Mora Kunjaku Aja

ସଖୀ ଗୋ ମୋର କୁଞ୍ଜକୁ ଆଜ
(BanamaliKhemata)
(ବନମାଳୀଖେମଟା)

ସଖୀ ଗୋ ମୋର କୁଞ୍ଜକୁ ଆଜ
ଆସିବେ ପରା ସେ ନାଗରରାଜ । ଘୋଷା ।

ଆଜ ତ ଏ ମୋର କେଳିମନ୍ଦିର
ଦିଶୁଅଛି ସଖୀ କେଡ଼େ ସୁନ୍ଦର । ୧ ।

ଭାଙ୍ଗି ରଖିଅଛି ବିଡ଼ିଆ ପାନ
ଭୁଞ୍ଜିବେ ବୋଲି ମୋ ଜୀବନଧନ । ୨ ।

ଗୋଳି ରଖିଛି ଏ ଚନ୍ଦନ ଚୂଆ
ଲାଗି ହେବେ ମୋ ଭାବ ବିନୋଦିଆ । ୩ ।

ଗୁନ୍ଥି ରଖିଛି ଏ କୁସୁମ ମଲ୍ଲୀ
ମୋ ମନମୋହନ ପିନ୍ଧିବେ ବୋଲି । ୪ ।

ଆଜ ତ ଗୋଧନ ବାହୁଡ଼ା ବେଳେ
ମୋତେ ଅନାଇଁ ବିଜେ କରୁଥିଲେ । ୫ ।

ଆଜ ତ ମୋହର କେଳିମାନସ
ଦେଖି କାନ୍ତ ହେବେ କେଡ଼େ ହରଷ । ୬ ।

ତୋତେ କି ଦିଶୁଅଛି ସଖୀ କହ
ବୋଲେ ବନମାଳୀ ନାହିଁ ସନ୍ଦେହ । ୭ ।