(ବନମାଳୀ— ରାଗ ସିନ୍ଧୁକାମୋଦୀ, ତାଳ ଆଦିତାଳ)
ସଜନୀ ଗୋ ନ ଜାଣି ପୀରତି ଯାହା କଲି । ଘୋଷା ।
ସେ ନବନାଗର କାହ୍ନୁ କି ରଙ୍ଗେ ବଜାନ୍ତି ବେଣୁ
ଶୁଣିଲା ବେଳରୁ ହୁଡ଼ିଗଲି ସଜନୀ ଗୋ । ୧ ।
କି କଲି ମୁଁ ମୂଢ଼ ମତି ହୋଇ ଏଡ଼େ କୁଳବତୀ
କୁଳଶୀଳ ରଖି ନ ପାରିଲି ସଜନୀ ଗୋ । ୨ ।
କାହାରେ କହିବି ଏହା କେହି ନାହିଁ ମୋର ସାହା
ଆହା ଆହା ବୋଲି ଝୁରି ମଲି ସଜନୀ ଗୋ । ୩ ।
ବନମାଳୀ ଦାସ କହେ ନାହିଁ ନା ଏବେ ଉପାୟେ
ବେଳହୁଁ ତ ମୁହିଁ ହୁଡ଼ିଗଲି ସଜନୀ ଗୋ । ୪ ।