(ବନମାଳୀ— ରାଗ ଭୈରବୀ, ତାଳ ଖେମଟା)
ସଜନୀ ମୋହନ ମୂରତି ଛଇ ଲୋ
ଉପମା ଦେବାକୁ ନାହିଁ ଲୋ
ଇନ୍ଦୀବର ନୀଳରତନ ମୁଦିରେ
ଏ ମାଦକ ଅବା କାହିଁ ଲୋ । ଘୋଷା ।
କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନୀ
କର୍ଣ୍ଣ ସରି ଯାଏଁ ରହେ
ଫୁଟିଯାଏ ହୃଦ ମଦନ ବିଶିଖେ
ଗ୍ରୀବା ଢାଳି ଯେବେ ଚାହେଁ ଲୋ । ୧ ।
କି ସୁନ୍ଦର ମୃଦୁବାଣୀ ଲୋ ସଜନୀ
ସତେ କି ପୀୟୂଷ ଛାଣି
ଅନଙ୍ଗ ଅଙ୍ଗ ପାଇବାକୁ ରଖିଛି
ଏହି ଠାରେ ବିହି ଆଣି ଲୋ । ୨ ।
କି ଭଙ୍ଗୀରେ ହୁଏ ଛିଡ଼ା ଲୋ ସଜନୀ
କି ଶୋଭା ତା ବାଙ୍କଚୂଡ଼ା
ବାନ୍ଧିଥାଇ ତହିଁ ମିଶାଇ ଶିଖଣ୍ଡ
କାମିନୀଙ୍କ ବ୍ରୀଡ଼ାଛଡ଼ା ଲୋ । ୩ ।
ରମ୍ୟ ଅଶ୍ୱିନୀକୁମାର ଲୋ ସଜନୀ
କେ ବୋଲେ ସୁନ୍ଦର ମାର
ନନ୍ଦପୁଅ ଅଙ୍ଗ ସୁନ୍ଦରପଣକୁ
ଲକ୍ଷ ଅଂଶେ କାହା ଛାର ଲୋ । ୪ ।
ଅର୍ବୁଦେ ଥାନ୍ତା ନୟନ ଲୋ ସଜନୀ
ଦେଖୁଥାନ୍ତି ତା ବଦନ
ବନମାଳୀ କହେ ତେବେହେଁ ସନ୍ତୋଷ
ନୁହନ୍ତା କେବେହେଁ ମନ ଲୋ । ୫ ।