Sari Bari Bihara

ସାରି ବାରି ବିହାର
(Banamali— Raga Sankarabharana, Tala Khemata)
(ବନମାଳୀ— ରାଗ ଶଙ୍କରାଭରଣ, ତାଳ ଖେମଟା)

ସାରି ବାରି ବିହାର
ବିଜେ ବ୍ରଜ ରାମା ହୃଦହାର ଯେ । ଘୋଷା ।

ବସି ମଣି ବିମାନର
ବାମେ ସିନ୍ଧୁସୁତା ଦକ୍ଷିଣେ ଧରଣୀ
-ଧର ପାଶରେ ଶଙ୍କର । ୧ ।

କଟୀ ତଟେ ପୀତାମ୍ବର
ଶିରେ ଜାମୁଡାଳି ମୟୂରଚନ୍ଦ୍ରିକା
ନାସେ ଗଜମୋତିବର । ୨ ।

ନାନା ରତ୍ନେ ଅଳଙ୍କାର
କଣ୍ଠେ କଉସ୍ତୁଭ ମଣି ବିରାଜଇ
ଯାଇ ଜୂଇ ମଲ୍ଲୀ ହାର । ୩ ।

ମୋହନ ତ୍ରୈଲୋକ୍ୟସାର
ସୁର ନାଗ ନର ଗନ୍ଧର୍ବ କିନ୍ନର
ଖଟନ୍ତି ଚରଣେ ଯାର । ୪ ।

ଆଗେ ଦାସୀ ନୃତ୍ୟକାର
ଭକ୍ତଜନମାନେ ଧରିଣ ଅଛନ୍ତି
ଖଦି ଆଲଟ ଚାମର । ୫ ।

ସାରି ଚାରି ପଟୁଆର
କଉତୁକେ ଢଳି ଢଳିଣ ଆସନ୍ତି
ସଙ୍ଗେ ଘେନି ହଳଧର । ୬ ।

ପ୍ରତିହାରୀ ଯେ ସୁଆର
ମଣିମା ମଣିମା ଗୁହାରି ଶୁଣିମା
ଡାକ ପଡ଼ଇ ଅପାର । ୭ ।

ବିଜୟେ ସିଂହଦୁଆର
ବନମାଳୀ କର ଯୋଡ଼ି ଜଣାଉଛି
ଶରଣ ମୁଁ ନିରନ୍ତର । ୮ ।