(ତାରିଣୀ ଚରଣ ପାତ୍ର— ରାଗ ଭୈରବୀ, ତାଳ ପହପଟ)
ଆରେ ମାନସ
ତୁ ଏ ଜୀବନେ କଲୁ କିସ
ମୋର ମୋର ବୋଲି ମରି ନିରନ୍ତର
ଶେଷରେ ହେବୁ ନିରାଶ । ଘୋଷା ।
ଅରଜିଲୁ ଧନ ଜନ ପରିବାର
ମୋଟା କଲୁ ତୋ ମାନସ
ଜରାବସ୍ଥାରେ ତୋ ଏମାନଙ୍କର ତୁ
ଆଖିରେ ହୋଇବୁ ବିଷ । ୧ ।
ନ ଦିଶିବ ଦୂର ନ ଶୁଭିବ ସ୍ୱର
ପଡ଼ିବ ସକଳ ଦଶ
ହାତ ଗୋଡ଼ ଥରି ନ ପାରିବୁ ଚାଲି
ଡାକିବୁ କେ ଅଛ ଆସ । ୨ ।
କେହି ନ ଶୁଣିବେ ବିରକ୍ତ ହୋଇବେ
ଭୋଗିବୁ ନାନା ପରାଶ
ଭାବଇ ତାରିଣୀ ପଥକୁ ସଙ୍ଖାଳି
ଏକା ନାମ ହୃଷୀକେଶ । ୩ ।