(ମଦନମୋହନ ସିଂହ ଦେବ— ରାଗ ଧନାଶ୍ରୀ, ତାଳ ଏକତାଳି)
ଚାହାଁରେ ସଙ୍ଗିନୀ କେଳି ନୀପମୂଳକୁ
କି ଶୋଭା ଦିଶଇ ଆଜ ନନ୍ଦବାଳକୁ । ଘୋଷା ।
କଟୀରେ ଝଟକେ ଯାର ପୀତଚେଳକୁ
ଅଟକାଉଛି ମନ ଶିଖଣ୍ଡଚୂଳକୁ । ୧ ।
ନିନ୍ଦୁଛି ଅପଘନ ଘନ ତମାଳକୁ
କି ସୁନ୍ଦର ଦିଶେ ଉର ବନମାଳକୁ । ୨ ।
ରଖିବ ନାହିଁ ଯୁବତୀ କୁଳଶୀଳକୁ
ଓଟାରି ନେବ ମୁରଲୀ ନାଦେ କୋଳକୁ । ୩ ।
ବନ୍ଦୀ କରିବ ପରା କାଳିନ୍ଦୀ କୂଳକୁ
କିପରି ଯିବା ଏ ପଥେ ଆଣି ଜଳକୁ । ୪ ।
ଦେଖି ସେ ରୂପ ସଜନୀ ହୋଇ ମେଳକୁ
ଭାଳିଲେ ରହିବ କିଏ ନୋହି ଭୋଳକୁ । ୫ ।
ଛନ୍ଦେ ଉଭା ହେବା ପଦଦ୍ୱନ୍ଦ ତଳକୁ
ବନ୍ଦି ବୋଲନ୍ତି ଧରାକୋଟ ଭୂପାଳକୁ । ୬ ।