(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଆଦିତାଳ)
ଶ୍ୟାମ ସୁନ୍ଦର ମୁରଲୀ
ନିନାଦ ଜାତି ନେବ ମଣିଲି । ଘୋଷା ।
ଗୁରୁଜନ ସଙ୍ଗେ କଥା ପରସଙ୍ଗେ
ବସିଥିଲି କି ଚମକି ପଡ଼ିଲି । ୧ ।
ପୂରିଲା ପୁଲକ ଦେହ ଗୋଟାଯାକ
ବିନା ଶୀତରେ ମୁଁ କେତେ ଥରିଲି । ୨ ।
କାହିଁ ଗଲା ମନ ବୁଡ଼ିଗଲା ଜ୍ଞାନ
ବେନି ନୟନ ମୁଁ ବୁଜି ରହିଲି । ୩ ।
ନିଶି କି ଦିବସ ବନ କି ଆବାସ
ଜାଗର କି ସ୍ୱପନ ନ ହେଜିଲି । ୪ ।
ଗୋପାଳକୃଷ୍ଣ ସେ ଶ୍ରୀ ରାଧାଙ୍କୁ ଭାଷେ
ଗ୍ରାବ ଶ୍ରବି ଦ୍ରବୁଥିଲା ଚାହିଁଲି । ୫ ।