Se Syama Nagarabara

ସେ ଶ୍ୟାମ ନାଗରବର
(Ramanuja Singha— Raga Asabari, Tala Ekatali)
(ରାମାନୁଜ ସିଂହ— ରାଗ ଆଶାବରୀ, ତାଳ ଏକତାଳି)

ସେ ଶ୍ୟାମ ନାଗରବର ପ୍ରୀତିରେ ମୁଁ ଗଲି ସଢ଼ି
ଜାଣି ନଥିଲି ସଜନୀ ହେବି ବୋଲି ଏତେ ସରି । ଘୋଷା ।

ଶ୍ୟାମ ପ୍ରୀତି ବଡ଼ ମନ୍ଦ ନିତି ପ୍ରତିଦ୍ୱନ୍ଦ କଲି
ନନ୍ଦସୁତ ଛନ୍ଦରେ ମୁଁ ପଡ଼ିଗଲି ସହଚରୀ । ୧ ।

ଅଶନ ବସନେ ମନ ପ୍ରସନ୍ନ ନୁହେଁ ମୋହରି
ଝରୁଥାଇ ନିରନ୍ତର ନୟନ ଯୁଗଳୁଁ ବାରି । ୨ ।

ଘରଦ୍ୱାର ବନ ବ୍ୟାଧବେଶେ ଦିଶେ ଶମ୍ବରାରି
ଖଣ୍ଡ ଖଣ୍ଡ କରେ କାଣ୍ଡ ପିଣ୍ଡକୁ ମୋ ସହଚରୀ । ୩ ।

ଦିନୁ ଦିନ ହେଲି କ୍ଷୀଣ କି କଲି ମୁଁ ନ ବିଚାରି
ବୋଲେ ରାମାନୁଜ ସିଂହ ପ୍ରୀତିକି ଦୂରୁ ଜୁହାରି । ୪ ।