Pachara Sahi Go

ପଚାର ସହି ଗୋ
(Gourahari— Raga Mukhari, Tala Ekatali)
(ଗୌରହରି— ରାଗ ମୁଖାରୀ, ତାଳ ଏକତାଳି)

ପଚାର ସହି ଗୋ ତାଙ୍କ ଆନକୁ
ମୋହ ରାଣକୁ ଦେଇ
ଏପରିରେ ଯେବେ ଥିଲା ତାଙ୍କ ମନେ
କିମ୍ପା କହୁଥିଲେ ମୁରଲୀକି ଛୁଇଁ । ଘୋଷା ।

କନ୍ଦର୍ପ ସୁନ୍ଦର ରୂପକୁ ଚାହିଁ
ବନ୍ଦୀ କଲା କେଉଁ ଚନ୍ଦ୍ରମାମୁହିଁ
ଛନ୍ଦ କରି କାହା ମନ୍ଦିରେ ରହିଲେ
ମନ୍ଦପଣ ମୋର ଦେଖାଇବେ ବୋଲି । ୧ ।

ଆସିବା ନିଶ୍ଚୟ ଜାଣି ତାଙ୍କର
ନିଶିଯାକ ଏହି ପରି ବେଭାର
ରସି କରାଇବା କେଡ଼େ ସମ୍ଭାର
ବାସି କରାଇଦେଲେ କାହିଁକି ବୋଲି । ୨ ।

ଛାଡ଼ିଦେଇ ଲାଜ କୁଳ ଭୀତିକି
ଜଡ଼ିଗଲି ଶ୍ୟାମବନ୍ଧୁ ପ୍ରୀତିକି
ଏଡ଼ିଦେଇ ତାଙ୍କୁ ଅନ୍ୟ ଯୁବତୀକି
ଲୋଡ଼ିବାରୁ ସିନା ହେଲି ଏବେ ସରି ।୨।

ଜଗନ୍ନାଥ ଦେବ ଭାଷି କହନ୍ତି
ମୋ ପୁରକୁ କିମ୍ପା ନଇଲେ ଦୂତୀ
କାହା ପୁରେ ମାତି କଟାଇଲେ ରାତି
ଭଗାରିଙ୍କ ମୁଖେ ହସାଇବେ ବୋଲି ।୩।

ପାଠାନ୍ତର :
ଲକ୍ଷ୍ମୀନାରାୟଣ ଦେବ ଭାଷନ୍ତି
ରାଗରେ ଦୂତୀକି କହେ ଶ୍ରୀମତୀ
ଜାଗରେ ପୁହାଇଦେବାର ଏ ରାତି
ଭଗାରିଙ୍କ ମୁଖେ ହସାଇବେ ବୋଲି । ୪ ।