Ago Sakhi Ki Karibi Nisi Ta Na Sare

ଆଗୋ ସଖୀ କି କରିବି ନିଶି ତ ନ ସରେ
(Kabichandra Kali Charan— Raga Saberi, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ସାବେରୀ, ତାଳ ତ୍ରିପଟା)

ଆଗୋ ସଖୀ କି କରିବି ନିଶି ତ ନ ସରେ
ବନ୍ଧୁ ନଇଲେ ମୋ ପୁରେ ମୋ ପୁରେ । ଘୋଷା ।

ସାଜି ମୁଁ କବରୀ ଖଞ୍ଜି ମାଧବୀ ସଞ୍ଜରେ
ଚାହିଁ ବସିଥିଲି ପରା ମାଧବୀ କୁଞ୍ଜରେ । ୧ ।

କଣ୍ଟ ଦେଇ ଖଣ୍ଟ ଶଠ ଦଗା ଦେଲେ ମୋରେ
ବାଇ କରି ରାଈ ରାଈ ମୁରଲୀର ସ୍ୱରେ । ୨ ।

କର୍ପୂର ଚନ୍ଦନ ହାର ସୁବାସ ପନୀରେ
ଭସାଅ ସଜନୀ ନେଇ ଯମୁନାର ନୀରେ । ୩ ।

ଏକାଳେ ମୁରଲୀ ଶୁଭେ ନିକୁଞ୍ଜ ଦୁଆରେ
କବିଚନ୍ଦ୍ର କହେ ଏ ତ ନୁହଇଁ ନୂଆରେ । ୪ ।