Kaha Re Sajani Aja E Rajani

କହରେ ସଜନୀ ଆଜ ଏ ରଜନୀ
(Dwija Pitambara— Raga Kedara, Tala Tripata)
(ଦ୍ୱିଜ ପୀତାମ୍ବର— ରାଗ କେଦାର, ତାଳ ତ୍ରିପଟା)

କହରେ ସଜନୀ ଆଜ ଏ ରଜନୀ
ମୋ ପ୍ରାଣନାୟକ ଆସିବେ କି । ଘୋଷା ।

କେଳିଗୃହେ ମିଳି କରିବେ କି କେଳି
ରସାଇ ମୋ ମନ ରସିବେ କି । ୧ ।

ନାୟକରତନ ଦେଇ ଚୁମ୍ବଦାନ
ସୁରତେ ମୋ ମନ ତୋଷିବେ କି । ୨ ।

ସେ ନନ୍ଦନନ୍ଦନ ଶ୍ରୀ ମଧୁସୂଦନ
ଆସି ମୋ ପଲ୍ୟଙ୍କେ ବସିବେ କି । ୩ ।

ଖଣ୍ଡିବେ ଅଦେହ ଦଣ୍ଡକୁ ମୋହର
ବିନୟରେ ଚାଟୁ ଭାଷିବେ କି । ୪ ।

ଦେଇ ଚିବୁକରେ କର ମୋ ଚିକୁରେ
ଶ୍ୟାମଳୀ କୁସୁମ ଖୋଷିବେ କି । ୫ ।

ଘୋଟିଛି ମଦନ ଅନ୍ଧାର ସଦନ
ମୋହନଚନ୍ଦ୍ର ପ୍ରକାଶିବେ କି । ୬ ।

ବୋଲେ ପୀତାମ୍ବର ରତି ହୃଦ ଚୋର
ଅଇରି ତାପ ତା ନାଶିବେ କି । ୭ ।