(ହରିବନ୍ଧୁ— ରାଗ ବିଲାହାରୀ, ତାଳ ରୂପକ)
ଘେନାଇ କହିଲେ ଯେତେ
ଘେନିବି କି ମୁଁ ଚିତ୍ତେ
ନିତି ଏହି ପରି ହେଲେ ସହିବି ମୁଁ ଦାଉ କେତେ । ଘୋଷା ।
ଅଗାରୁ ଆଣି ମୋତେ
ଜଗାଇ କୁଞ୍ଜେ ନିଶାନ୍ତେ
ଭଗାରି ହସାଇ ସେହି ଦଗା କରିଅଛି ଯେତେ । ୧ ।
ଲେଖ ତା ଦେଖି ନିରତେ
ଦେଖା କରିବାରୁ ସତେ
ସୁଖକୁ ଲଭିବା ଥାଉ ଦୁଃଖେ ପଡ଼ିଲି ସନ୍ତତେ । ୨ ।
କେଉଁ କାମିନୀ ସଙ୍ଗତେ
ନେଉ ଯାମିନୀକି ରତେ
ଥାଉ କହିବାର ଆସ ଶ୍ରୀମୁଖ ଦେଖାଇ ପ୍ରତେ । ୩ ।
ପଦ୍ମନାଭ ଦେବ ଗୀତେ
ଭାଷନ୍ତି ରାଧା ସୁଚିତ୍ତେ
ଆସିଛନ୍ତି ଶ୍ୟାମ ଚାହାଁ କୃପା କଟାକ୍ଷେ କିଞ୍ଚିତେ । ୪ ।