(କବିସୂର୍ଯ୍ୟ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
ସରି ଯିବନି
ଜୀବନେ କିଶୋରୀ ହେ ବଂଶୀଧାରୀ । ଘୋଷା ।
ବିରହରେ ସଖୀ ହୋଇଛି କାତର
ସରୁଁ ସରିଲାଣି ସରୋଜପତର
ଦେଖିଲି ସଖୀର କଣ୍ଠର ମାତର
ଜୀବନକୁ ଅଛି ଧରି ହେ । ୧ ।
ଲାଗୁ ନ ଥିଲା ମୋ କରକୁ ନାଟିକା
ସଜନୀମାନେ ଦେଖି ହେଲେ ତାଟକା
ଧାଇଁଅଇଲି ମୁଁ ଶୁଣି ତାଙ୍କ ଡକା
ଥିବ କି ଜୀବନେ ସରି ହେ । ୨ ।
ନାସାଗ୍ରତେ ତୁଳ ଦେଲେ ତତପର
ନ ଚଳିଲା ପରି ଦିଶିଲା ନାଗର
ସଜନୀମାନେ ବସିଣ ସେହି ପୁର
ହା ରାବରେ ଥିଲା ପୂରି ହେ । ୩ ।
ତୁମ୍ଭ ଭଳି ଯେବେ ନୋହିଲା ପାତର
ପଚାରୁଛି ଶ୍ୟାମ ନ ଦିଅ ଉତ୍ତର
ଅନ୍ତର୍ଗତେ ଯେବେ ଥିଲାଟି ଅନ୍ତର
ଚିତ୍ତ କିମ୍ପା କଲ ଚୋରି ହେ । ୪ ।
ଲାଗିଥିଲେ ଜବାଧରୀର ସେବାରେ
ଆଶା ଅଛି ମୋହ ଯିବା ଆସିବାରେ
ହଟି ବସିଅଛି ଜୀବନ ନେବାରେ
ପାପୀ କାମ ଯମ ପରି ହେ । ୫ ।
ଦୀନବନ୍ଧୁ ଥାଉଁ ବିରହ ତୁଷାର
ନାଶ କଲେ ପଦ୍ମିନୀକି ଏ ଅସାର
ବୋଲେ କବିରବି ହେବଟି ଅସାର
ହସିବେ ସିନା ଭଗାରି ହେ । ୬ ।