Ehi Katha Niki Katha

ଏହି କଥା ନିକି କଥା ରେ
(Hari— Raga Bhairabi, Tala Khemata)
(ହରି— ରାଗ ଭୈରବୀ, ତାଳ ଖେମଟା)

ଏହି କଥା ନିକି କଥା ରେ ସଜନୀ
ଯାକୁ ନ ଦେଖିଲେ ଆକୁଳରେ ଝୁରୁ
ତାକୁ ଦେଖି ପୋତୁ ମଥା ରେ । ଘୋଷା ।

ସେ ଶ୍ୟାମସୁନ୍ଦର ଯୁବା ପୁରନ୍ଦର
ତୋ ଲାଗି ପାଉଛି ବ୍ୟଥା
କ୍ଷୀର ନୀର ଠାରୁ ଅଭେଦ ପୀରତି
କି ଘେନି ତା କରୁ ବୃଥା ରେ । ୧ ।

ନିରନ୍ତରେ ନୀର ନେତ୍ରୁ ଧାର ଧାର
ବହି ଜରଜର ଛାତି
ନ ବସଇ ସେ ଯେ ନବଦଳ ଶେଯେ
ଶୟନ ଦିବସ ରାତି ରେ । ୨ ।

ଗିରିଧର ବେଶ ବସନେ ପ୍ରସନ୍ନ
ଲେଶ ନାହିଁ ବଂଶୀଭାର
ଭ୍ରମର ଝଙ୍କାର ଶୁଣି ଚମକଇ
କାମଶରେ ଭ୍ରମ ତାର ରେ । ୩ ।

ମୃଣାଳର ମାଳ ଧରି ନନ୍ଦବାଳ
ଜପୁଅଛି ରାଧେ ରାଧେ
ତୋ ମୂରତି ଚିନ୍ତି ଛାତିକି ଭିଡ଼ଇ
ଚୁମ୍ବଦାନେ ମନ ବୋଧେ ରେ । ୪ ।

ସାତ୍ୱିକ ଅଧିକ ବଢ଼ିବାରୁ ଧିକ
କରଇ ବିବେକ ହେଜି
ମୋହନରାଜ ମୋହରେ ପଡ଼ୁଅଛି
ବହନ ଚେତନ ତେଜି ରେ । ୫ ।

ଦୂତୀ ବାଣୀ ଶୁଣି କେଳିମତି ଭଣି
ମରଇଁ କି ନା କି ଭାଷି
ବୋଲେ ହରି ପ୍ରାଣବନ୍ଧୁଙ୍କୁ ଦେଖିଣ
ରତିରସେ ଯାଏ ଭାସି ରେ । ୬ ।